କେନ୍ଦ୍ରାପଡା (ଅନୁସନ୍ଧାନ); ପାଣି ପାଇଁ ଆନ୍ଦୋଳନ । ରାଜରାସ୍ତା ରୋକ କଲା କଂଗ୍ରେସ । କେନ୍ଦ୍ରାପଡା ଜିଲ୍ଲା ଆଳି ଏବଂ ରାଜକନିକ ମଧ୍ୟ ଭାଗ ଦେଇ ଯାଉଥିବା ଖରସ୍ରୋତା ନଦୀରୁ ଭଦ୍ରକ ଏବଂ ବାଲେଶ୍ୱରକୁ ପାଣି ଯୋଗାଇ ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହାକୁ ବିରୋଧ କରୁଛି କେନ୍ଦ୍ରାପଡା କଂଗ୍ରେସ । ଆଜି ଏହି ପ୍ରତିବାଦରେ କଟକ-ଚାନ୍ଦବାଲି ୨୦ ନମ୍ବର ଜାତୀୟ ରାଜପଥକୁ ରୋକ କରିଛନ୍ତି କଂଗ୍ରେସ କର୍ମୀ ।
ଗଡଗଡି ପୋଲ ଉପରେ ଆନ୍ଦୋଳନରେ ବସିଛନ୍ତି କଂଗ୍ରେସ କର୍ମୀ । ପୋଲ ମଝିରେ ଆନ୍ଦୋଳନ ହେଉଥିବାରୁ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଅଟକି ରହିଛି ଶହ ଶହ ଗାଡି । ଦଳ ୭ଘଣ୍ଟିଆ ବନ୍ଦ ଡାକରା ଦେଇଥିବା ସୂଚନା ମିଳିଛି । ତେବେ ନଦୀରୁ ବୁନ୍ଦାଏ ପାଣି ଦିଆଯିବ ନାହିଁ ବୋଲି ସୂଚନା ଦେଇଛନ୍ତି ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା । ରାସ୍ତାରୋକ କାରଣରୁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରୋକ ହଟିନଥିଲା ।
ରିପୋର୍ଟ; ସୋମନାଥ ନାୟକ
