କେନ୍ଦୁଝର (ଅନୁସନ୍ଧାନ ବ୍ୟୁରୋ); ମାଡ । ପୋଲିସକୁ ମାଡ । ଆଇନର ରକ୍ଷକ ଉପରେ ହୋଇଛି ମାଡ । ଜଣେ ପୋଲିସ ମହିଳା ଏସଆଇଙ୍କୁ ମାଡ ହୋଇଥିବା ସୂଚନା ମିଳିଛି । ତେବେ ପୋଲିସ ଅଧିକାରୀ ଘଟଣାର ସମାଧାନ କରିବାକୁ ଯାଇ ଆକ୍ରୋଶର ଶିକାର ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ପଦନପୁର ଗାଁରେ ଘଟିଛି ଏଭଳି ଘଟଣା । ଘଷିପୁରା ଥାନା ମହିଳା ସବଇନିସପେକ୍ଟର ଅନୁରାଧ ସେଠୀଙ୍କୁ ବାଜିଛି ମାଡ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନା ଅନୁଯାୟୀ, ପଦନପୁର ଗାଁର କମଳଲୋଚନ ରାଉତଙ୍କ ପୁଅ ପଦ୍ମଲୋଚନଙ୍କ ସହ ଯାଜପୁର ଜିଲ୍ଲା ସୁକିନ୍ଦା ଗ୍ରାମର ବିଳାସ ବେଉରାଙ୍କ ଝିଅ ପଦ୍ମିନୀ ସହ ୧୦ ବର୍ଷ ତଳେ ବିବାହ ହୋଇଥିଲେ । ସ୍ବାମୀ-ସ୍ତ୍ରୀଙ୍କ ମନୋମାଳିନ୍ୟକୁ କେନ୍ଦ୍ରକରି ଗତକାଲି ପଦ୍ମିନୀଙ୍କ ପରିବାର ପଦନପୁର ଗାଁରେ ପହଞ୍ଚିବା ପରେ ଉଭୟ ପରିବାରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଖବରପାଇ ପୋଲିସ ପହଞ୍ଚି ସେଠାରୁ ଝିଅଘର ପରିବାରକୁ ସାଥିରେ ନେଇଯିବା ସମୟରେ ଜଣେ ଯୁବକ ପୋଲିସ ଉପରେ ଆକ୍ରମଣ କରିଥିଲା । ତେବେ ଏନେଇ ଉଭୟ ସ୍ବାମୀ ସ୍ତ୍ରୀ ଘଟଣାକୁ ନେଇ ପରସ୍ପର ଉପରେ ଦୋଷ ଦେଉଛନ୍ତି । ଉଭୟଙ୍କ ପକ୍ଷରୁ ପରସ୍ପର ବିରୋଧରେ ଥାନାରେ ମାମଲା ଦାୟର ହୋଇଛି ।
