ନିଷ୍ପତି ବଦଳାଇଲେ ଆନ୍ନା ହଜାରେ

ମୁମ୍ବାଇ (ଅନୁସନ୍ଧାନ ବ୍ୟୁରୋ): କେନ୍ଦ୍ରର ନୂତନ କୃଷି ଆଇନ ବିରୋଧରେ ଜୋରଦାର ହେଉଛି କୃଷକ ଆନ୍ଦୋଳନ । ଦିନ ଯେତେ ଗଢୁଛି ଚାଷୀ ଆନ୍ଦୋଳନ ସେତେ ଉଗ୍ର ରୂପ ନେବାରେ ଲାଗିଛି । କୃଷି ଆଇନକୁ ବିରୋଧ କରି ଆମରଣ ଅନଶନର ଡାକରା ଦେଇଥିବା ନିଷ୍ପତି ପ୍ରତ୍ୟାହାର କରିଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ । ନୁତନ କୃଷି ଆଇନକୁ ବିରୋଧ କରି ସେ ଆସନ୍ତାକାଲିଠାରୁ ଆମରଣ ଅନଶନର ଡାକରା ଦେଇଥିଲେ । ସେ ନିଜ ସମର୍ଥକଙ୍କୁ ମଧ୍ୟ ଏପରି ଅନଶନ କରିବାକୁ ଆହ୍ୱାନ କରିଥିଲେ । ତେବେ ଆଜି ସଂଧ୍ୟାରେ ହଠାତ୍ ସେ ନିଜର ନିଷ୍ପତି ପ୍ରତ୍ୟହାର କରିଛନ୍ତି । କେବଳ ଅନଶନ ନିଷ୍ପତି ପ୍ରତ୍ୟାହାର ନୁହେଁ, କେନ୍ଦ୍ରର ନୂତନ କୃଷି ଆଇନକୁ ମଧ୍ୟ ଆନ୍ନା ହଜାରେ ସମର୍ଥନ କରିଛନ୍ତି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେର ସେ ଏହି ଅନଶନ ନିଷ୍ପତି ପ୍ରତ୍ୟାହାର କରିଛନ୍ତି ।


ଏହାପୂର୍ବରୁ ଆନ୍ନା ଏକ ପ୍ରେସ ବିବୃତି ଜାରି କରି କହିଥିଲେ ଯେ ଆସନ୍ତାକାଲିଠାରୁ ମହାରାଷ୍ଟ୍ରର ଅହମଦନଗରରେ ଆମରଣ ଅନଶନ ଆରମ୍ଭ କରିବେ। ୮୪ ବର୍ଷୀୟ ଆନ୍ନା ଆହୁରି କହିଥିଲେ ଯେ ବିଗତ ୪ ବର୍ଷ ହେଲାଣି ଚାଷୀଙ୍କ ପ୍ରମୁଖ ଦାବିଗୁଡ଼ିକ ପାଇଁ ମୁଁ ଆନ୍ଦୋଳନ କରୁଛି। ଏବେ ଲାଗୁଛି ସରକାର ଚାଷୀଙ୍କ ପ୍ରସଙ୍ଗରେ ଉପଯୁକ୍ତ ନିଷ୍ପତ୍ତି ନେଉନାହାନ୍ତି। ସରକାର ଚାଷୀଙ୍କ ପ୍ରତି ଆଦୌ ସମ୍ବେଦନଶୀଳ ନୁହନ୍ତି। ଅନେକ ଥର କେନ୍ଦ୍ର ସରକାରଙ୍କ ଆଗରେ ଆମେ ଦାବି ଉପସ୍ଥାପନ କରିଛୁ। ଗତ ୩ ମାସ ମଧ୍ୟରେ ମୁଁ ପ୍ରଧାନମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କୁ ୫ଥର ଚିଠି ଲେଖି ସାରିଛି। ସରକାରଙ୍କ ପ୍ରତିନିଧିମାନେ ଦାବି ଗୁଡ଼ିକ ଉପରେ ଆଲୋଚନା କରୁଛନ୍ତି। ହେଲେ ଦାବି ମୁତାବକ ଏଯାଏ କୌଣସି ଫଳାଫଳ ମିଳିପାରିନାହିଁ ବୋଲି ଆନ୍ନା କହିଥିଲେ।


ଗୋଟିଏ ପଟେ ଲକ୍ଷ ଲକ୍ଷ ଚାଷୀ କୃଷି ଆଇନକୁ ବିରୋଧ କରୁଥିବା ବେଳେ ଅନ୍ୟପଟେ ଆନ୍ନାଙ୍କ ଅନଶନ ଆହ୍ୱାନ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ଏହି ଖବର ପାଇ ଦେବେନ୍ଦ୍ର ପଡନାଭିସ ଓ କେନ୍ଦ୍ରମନ୍ତ୍ରୀ କୈଳାସ ଚୌଧୁରୀ ତୁରନ୍ତ ଆନ୍ନାଙ୍କ ରାଲେଗାଓଁ ସିଦ୍ଧ ଗାଁରେ ପହଞ୍ଚିଥିଲେ। ସେଠାରେ ସେମାନେ ଆନ୍ନାଙ୍କ ସହ ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର ବୈଠକ ମଧ୍ୟ କରିଥିଲେ। ଶେଷରେ ଆନ୍ନା ନିଜର ନିଷ୍ପତ୍ତି ବଦଳାଉଥିବା ପ୍ରସଙ୍ଗରେ ଘୋଷଣା କରିଥିଲେ।